ଓଡ଼ିଶା ବୋର୍ଡ ସମାଧାନ

ଅଧ୍ୟାୟ ୫: ନିୟନ୍ତ୍ରଣ ଓ ସମନ୍ୱୟ

ଜୀବ ବିଜ୍ଞାନ · Control & Coordination · ୧୨ ପ୍ରଶ୍ନ · ୧୬ କୁଇଜ୍

ଫାଇଟୋହରମୋନ୍ କ'ଣ? ସେଗୁଡ଼ିକର ପ୍ରକାରଭେଦ ଓ କାର୍ଯ୍ୟ ବର୍ଣ୍ଣନ କର।
ଉଭିଦରେ ଥିବା ହରମୋନ୍‌କୁ ଫାଇଟୋହରମୋନ୍ (ଉଦ୍ଭିଦ ହରମୋନ୍) କୁହାଯାଏ। ଏଗୁଡ଼ିକ ଜୈବ ପଦାର୍ଥ ଏବଂ ଅତି କମ୍ ପରିମାଣରେ ଉଭିଦର ବୃଦ୍ଧି, ବିକାଶ ଓ ବିଭିନ୍ନ ଜୈବିକ କ୍ରିୟା ନିୟନ୍ତ୍ରଣ କରନ୍ତି। ଏହା ପାଞ୍ଚ ପ୍ରକାର — ୧. ଅକ୍ସିନ୍ (Auxin): କୋଷ ବୃଦ୍ଧି, କାଣ୍ଡ ବୃଦ୍ଧି, ଫୁଲ ଓ ଫଳ ଗଠନ, ଆଲୋକାନୁବର୍ତ୍ତନ ନିୟନ୍ତ୍ରଣ କରେ। ୨. ଜିବରେଲିନ୍ (Gibberellin): କାଣ୍ଡ ଓ ଶାଖା ବୃଦ୍ଧି, ବୀଜ ଅଙ୍କୁରୋଦଗମ ସାହାଯ୍ୟ କରେ। ୩. ସାଇଟୋକାଇନିନ୍ (Cytokinin): କୋଷ ବିଭାଜନ ହାର ବଢ଼ାଏ। ୪. ଏଥ୍‌ଲିନ୍ (Ethylene): ଫଳ ପାଚିବା, ପତ୍ର-ଫୁଲ-ଫଳ ଝଡ଼ାଇବା (ବୃଦ୍ଧି ହ୍ରାସକ)। ୫. ଆବ୍‌ସିସିକ୍ ଏସିଡ୍ (Abscissic acid): ବୃଦ୍ଧି ହ୍ରାସ କରେ ଓ ବାର୍ଦ୍ଧକ୍ୟ ତ୍ୱରାନ୍ୱିତ କରେ (ବୃଦ୍ଧି ହ୍ରାସକ)।
ବାହ୍ୟ ଉଦ୍ଦୀପନା କ'ଣ? ଏହା ଫଳରେ ଉଭିଦରେ ଦେଖାଯାଉଥିବା ଅନୁବର୍ତ୍ତନ ବର୍ଣ୍ଣନ କର।
ବାହ୍ୟ ଉଦ୍ଦୀପନା (External stimulus): ପରିବେଶରୁ ଉଭିଦ ଉପରେ କାର୍ଯ୍ୟ କରୁଥିବା ବାହ୍ୟ କାରକ (ଯଥା ଆଲୋକ, ମାଧାକର୍ଷଣ ବଳ, ଜଳ)। ଏହି ଉଦ୍ଦୀପନା ପ୍ରଭାବରେ ଉଭିଦର ଅଙ୍ଗ ଏକ ନିର୍ଦ୍ଦିଷ୍ଟ ଦିଗକୁ ଗତି କରେ, ଯାହାକୁ ଅନୁବର୍ତ୍ତନ (Tropism) କୁହାଯାଏ — (କ) ଆଲୋକାନୁବର୍ତ୍ତନ (Phototropism): ଆଲୋକ ଉଦ୍ଦୀପନାରେ ଗତି। କାଣ୍ଡ ଆଲୋକ ଆଡ଼କୁ ବଙ୍କେଇ ଯାଏ (ଅନୁକୂଳ), ଚେର ଆଲୋକଠାରୁ ଦୂରକୁ ଯାଏ (ପ୍ରତିକୂଳ)। (ଖ) ଜ୍ୟାନୁବର୍ତ୍ତନ (Geotropism): ମାଧାକର୍ଷଣ ବଳ ଉଦ୍ଦୀପନାରେ ଗତି। ମୂଳ (ଚେର) ପୃଥ୍ୱୀ କେନ୍ଦ୍ର ଆଡ଼କୁ ଯାଏ (ଅନୁକୂଳ), କାଣ୍ଡ ଉପରକୁ ଯାଏ (ପ୍ରତିକୂଳ)।
ଏକ ପରୀକ୍ଷା ଦ୍ୱାରା ଉଭିଦରେ ଅକ୍ସିନ୍‌ର ପ୍ରଭାବ ଦର୍ଶାଅ।
ପରୀକ୍ଷଣ: କେତେଗୁଡ଼ିଏ ଗଜା (ଭୂଣକାଣ୍ଡ / Hypocotyl) ବାହାରିଥିବା ବୀଜ ମଞ୍ଜିକୁ ଏକ ଦିଗରୁ ଆଲୋକ ଆସୁଥିବା ଏକ ବାକ୍ସ ମଧ୍ୟରେ ରଖ। କେତୋଟି ଗଜାର ଅଗ୍ରଭାଗରେ କଳାକାଗଜର ଟୋପି ଲଗାଅ; ଆଉ କେତେଗୁଡ଼ିକର ଅଗ୍ରଭାଗ କାଟିଦିଅ; ଅବଶିଷ୍ଟକୁ ସେହିପରି ଛାଡ଼ିଦିଅ। 3-4 ଦିନ ପରେ ଲକ୍ଷ୍ୟ କର। ପର୍ଯ୍ୟବେକ୍ଷଣ: ଯେଉଁ ଗଜାର ଅଗ୍ରଭାଗ କାଟି ଦିଆଯାଇଛି ବା କଳାଟୋପି ଲଗାଯାଇଛି, ସେଗୁଡ଼ିକ ସିଧା ରହେ। ଅନ୍ୟ ଗଜାଗୁଡ଼ିକ ଆଲୋକ ଆସୁଥିବା ଦିଗକୁ ବଙ୍କେଇ ଯାଏ। ସିଦ୍ଧାନ୍ତ: ଗଜାର ଅଗ୍ରଭାଗ (tip)ରେ ଅକ୍ସିନ୍ ସୃଷ୍ଟି ହୁଏ। ଆଲୋକ ପଡ଼ିଲେ ଅକ୍ସିନ୍ ଆଲୋକର ବିପରୀତ (ଅନ୍ଧାର) ପାଖକୁ ଯାଇ ସେହିପାଖ କୋଷର ବୃଦ୍ଧି ଅଧିକ କରାଏ, ତେଣୁ ଉଭିଦ ଆଲୋକ ଆଡ଼କୁ ବଙ୍କେଇ ଯାଏ। ଅଗ୍ରଭାଗ କାଟିଲେ ବା ଢ଼ାଙ୍କିଲେ ଏହା ଘଟେ ନାହିଁ। ଚାର୍ଲସ୍ ଡାରଉଇନ୍ ଏହି ପରୀକ୍ଷା କରିଥିଲେ।
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଓ କାର୍ଯ୍ୟର ଏକ ବିବରଣୀ ଦିଅ।
ମସ୍ତିଷ୍କ ତିନି ଭାଗ — ୧. ଅଗ୍ରମସ୍ତିଷ୍କ (Forebrain): ଏଥିରେ ଘ୍ରାଣ ପାଲି (Olfactory lobe), ପ୍ରମସ୍ତିଷ୍କ (Cerebral hemisphere) ଓ ପଶ୍ଚ ଅଗ୍ରମସ୍ତିଷ୍କ (Diencephalon) ଥାଏ। • ପ୍ରମସ୍ତିଷ୍କ: ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ; ସ୍ମରଣଶକ୍ତି, ଚିନ୍ତା, ତାପ-କଷ୍ଟ-ଚାପ-ସ୍ପର୍ଶ ଅନୁଭବ, କଥା ଓ ଆବେଗ ନିୟନ୍ତ୍ରଣ କରେ। • ପଶ୍ଚ ଅଗ୍ରମସ୍ତିଷ୍କ (Diencephalon)ରେ ହାଇପୋଥାଲାମସ୍ ଥାଏ, ଯାହା ଶରୀରର ତାପ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ନିୟନ୍ତ୍ରଣ କରେ। ୨. ମଧ୍ୟମସ୍ତିଷ୍କ (Midbrain): ଏଥିରେ ଚାରୋଟି ବର୍ତ୍ତୁଳ ପିଣ୍ଡ ଚତୁଷ୍କ (Corpora quadrigemina)। ଉପର ଦୁଇଟି ଦୃଷ୍ଟି ପ୍ରତିକ୍ଷେପ (Vision reflex) ଓ ତଳ ଦୁଇଟି ଶ୍ରବଣ ପ୍ରତିକ୍ଷେପ (Auditory reflex) ନିୟନ୍ତ୍ରଣ କରେ। ୩. ପଶ୍ଚମସ୍ତିଷ୍କ (Hindbrain): ଏଥିରେ ଅନୁମସ୍ତିଷ୍କ (Cerebellum) ଓ ସୁଷୁମ୍ନାଶୀର୍ଷକ (Medulla oblongata) ଥାଏ। • ଅନୁମସ୍ତିଷ୍କ: ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷା କରେ। • ସୁଷୁମ୍ନାଶୀର୍ଷକ: ଶ୍ୱାସକ୍ରିୟା, ହୃତ୍‌ସ୍ପନ୍ଦନ, ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟ ନିୟନ୍ତ୍ରଣ କରେ।
ପ୍ରତିକ୍ଷେପ କ୍ରିୟା କ'ଣ? ଆମ ଶରୀରରେ ଘଟୁଥିବା ଏକକ ସିନାପ୍ଟିକ ପ୍ରତିକ୍ଷେପ ବର୍ଣ୍ଣନ କର।
ପ୍ରତିକ୍ଷେପ କ୍ରିୟା (Reflex action): ମସ୍ତିଷ୍କ ଅଗୋଚରରେ (ମସ୍ତିଷ୍କର ଜ୍ଞାନ ବିନା) ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ୱତଃସ୍ଫୂର୍ତ୍ତ ଓ ସ୍ୱତଃପ୍ରବୃତ୍ତ (automatic) କ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ। ଉଦାହରଣ — ଆଖି ଆଗକୁ ହଠାତ୍ କୌଣସି ଜିନିଷ ଆସିଲେ ଆଖିପତା ଆପେ ଆପେ ବନ୍ଦ ହେବା। ଏକକ ସିନାପ୍ଟିକ ପ୍ରତିକ୍ଷେପ (Monosynaptic reflex): ଏଥିରେ (i) ସୁଷୁମ୍ନାକାଣ୍ଡ, (ii) ଗୋଟିଏ ସେନ୍ସରୀ (ସଂବେଦୀ) ସ୍ନାୟୁ ଓ (iii) ଗୋଟିଏ ମୋଟର (ଆଜ୍ଞାବହ) ସ୍ନାୟୁ ସଂଶ୍ଳିଷ୍ଟ। ଗ୍ରାହୀ ଅଙ୍ଗରୁ ଆବେଗ ସେନ୍ସରୀ ସ୍ନାୟୁ ଦେଇ ସୁଷୁମ୍ନାକାଣ୍ଡକୁ ଯାଏ; ସୁଷୁମ୍ନାକାଣ୍ଡ ତୁରନ୍ତ ମୋଟର ସ୍ନାୟୁ ମାଧ୍ୟମରେ ପେଶୀ (Effector)କୁ ନିର୍ଦ୍ଦେଶ ପଠାଏ ଓ ପେଶୀ କାର୍ଯ୍ୟ କରେ। ଏହି ପଥ (Sensory → ସୁଷୁମ୍ନାକାଣ୍ଡ → Motor)କୁ ପ୍ରତିକ୍ଷେପ ଚାପ (Reflex arc) କୁହାଯାଏ। ଇଭାନ୍ ପି. ପାଭଲୋଭ ଏହା ଉପରେ ଗବେଷଣା କରିଥିଲେ।
ସ୍ନାୟୁକୋଷର ଗଠନ ଏବଂ କାର୍ଯ୍ୟ ବର୍ଣ୍ଣନ କର।
ଗଠନ: ସ୍ନାୟୁକୋଷ (Neuron) ସ୍ନାୟୁତନ୍ତ୍ରର ଗାଠନିକ ଓ କ୍ରିୟାତ୍ମକ ଏକକ। ଏଥିରେ — • ସେଲବଡି (Cell body): ନ୍ୟୁକ୍ଲିଅସ୍ ଓ କୋଷଜୀବକ ଥାଏ। • ଡେନ୍ଡ୍ରାଇଟ୍ (Dendrite): ସେଲବଡିରୁ ବାହାରୁଥିବା ଅନେକ ଛୋଟ ଶାଖା; ଆବେଗ ଗ୍ରହଣ କରେ। • ଆକ୍ସନ୍ (Axon): ଡେନ୍ଡ୍ରାଇଟ୍‌ର ବିପରୀତ ପଟେ ଥିବା ଏକ ଲମ୍ବା ତନ୍ତୁ; ଆବେଗକୁ ଆଗକୁ ପଠାଏ। (ସ୍ନାୟୁକୋଷରେ ସେଣ୍ଟ୍ରୋଜୋମ୍ ନ ଥିବାରୁ ଏହା ବିଭାଜିତ ହୋଇପାରେ ନାହିଁ।) କାର୍ଯ୍ୟ: ସ୍ନାୟୁକୋଷ ଗ୍ରାହୀ ଅଙ୍ଗରୁ ଉଦ୍ଦୀପନା ଗ୍ରହଣ କରି ସ୍ନାୟୁ ଆବେଗ (Nerve impulse) ରୂପେ ମସ୍ତିଷ୍କ/ସୁଷୁମ୍ନାକାଣ୍ଡକୁ ପଠାଏ ଓ ସେଠାରୁ ନିର୍ଦ୍ଦେଶ ପେଶୀ/ଗ୍ରନ୍ଥିକୁ ପହଞ୍ଚାଏ। ଦୁଇ ସ୍ନାୟୁକୋଷର ମିଳନ ସ୍ଥଳ (ସିନାପ୍ସ)ରେ ଏସିଟିଲ୍‌କୋଲିନ୍ ପରି ସ୍ନାୟବିକ ସଂଚାରକ ଆବେଗକୁ ଏକ କୋଷରୁ ଅନ୍ୟ କୋଷକୁ ପଠାଏ।
ସଂକ୍ଷେପରେ ଉତ୍ତର ଦିଅ (କ–ଘ)।
(କ) ସିନାପ୍ସ: ଦୁଇଟି ସ୍ନାୟୁକୋଷର ମିଳନ ସ୍ଥଳ (ଏକ କୋଷର ଆକ୍ସନ୍ ଓ ଅନ୍ୟ କୋଷର ଡେନ୍ଡ୍ରାଇଟ୍ ମଝିରେ ଥିବା ଫାଙ୍କ)କୁ ସିନାପ୍ସ କୁହାଯାଏ। ଏଠାରେ ଏସିଟିଲ୍‌କୋଲିନ୍ ଭଳି ସ୍ନାୟବିକ ସଂଚାରକ ଦ୍ୱାରା ଆବେଗ ପ୍ରସାରିତ ହୁଏ। (ଖ) ଭାସୋପ୍ରେସିନ୍ (ADH)ର କାର୍ଯ୍ୟ: ଏହା ବୃକ୍‌କର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷଣ କରାଏ। ଏହା କମ୍ ସ୍ରାବ ହେଲେ ଅତ୍ୟଧିକ ପରିସ୍ରା ବାହାରେ (ଡାଇବେଟିସ୍ ଇନ୍‌ସିପିଡସ୍)। (ଗ) ଆଇଲେଟସ୍ ଅଫ୍ ଲାଙ୍ଗରହାନସ୍: ଅଗ୍ନ୍ୟାଶୟ (Pancreas)ର ହରମୋନ୍ ସ୍ରାବ କରୁଥିବା ଅଂଶ। ଏଥିରେ ତିନି ପ୍ରକାର କୋଷ — ଆଲଫା-କୋଷ (ଗ୍ଲୁକାଗନ୍), ବିଟା-କୋଷ (ଇନ୍‌ସୁଲିନ୍) ଓ ଡେଲଟା-କୋଷ (ସୋମାଟୋଷ୍ଟାଟିନ୍)। ଇନ୍‌ସୁଲିନ୍ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ। (ଘ) ଅନ୍ତଃସ୍ରାବୀ ଓ ବହିଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପ୍ରଭେଦ: ବହିଃସ୍ରାବୀ (Exocrine): ନାଳଯୁକ୍ତ; ସ୍ରାବ ନାଳ ଦେଇ ବାହାରକୁ ଆସେ। ଉଦାହରଣ — ଲାଳଗ୍ରନ୍ଥି, ଯକୃତ୍। ଅନ୍ତଃସ୍ରାବୀ (Endocrine): ନାଳବିହୀନ; ସ୍ରାବ (ହରମୋନ୍) ସିଧାସଳଖ ରକ୍ତରେ ମିଶେ। ଉଦାହରଣ — ପିଟୁଲଟାରି, ଥାଇରଏଡ୍।
ସଂକ୍ଷିପ୍ତ ଟିପ୍ପଣୀ ଲେଖ (କ–ଙ)।
(କ) ହରମୋନ୍: ଅନ୍ତଃସ୍ରାବୀ ଗ୍ରନ୍ଥିରୁ ସ୍ରାବ ହେଉଥିବା ଜୈବ ରାସାୟନିକ ପଦାର୍ଥ, ଯାହା ରକ୍ତ ମାଧ୍ୟମରେ ଦୂର ଲକ୍ଷ୍ୟ ଅଙ୍ଗକୁ ଯାଇ କାର୍ଯ୍ୟ ନିୟନ୍ତ୍ରଣ କରେ। ଅଳ୍ପ ପରିମାଣରେ କାର୍ଯ୍ୟକ୍ଷମ। ଉଦାହରଣ — ଇନ୍‌ସୁଲିନ୍, ଥାଇରକ୍ସିନ୍। (ଖ) ବାମନତା ଓ ଅତିକାୟତ୍ୱ: ଗ୍ରୋଥ୍ ହରମୋନ୍ (GH) କମ୍ ସ୍ରାବ ହେଲେ ଶରୀର ବାମନ (Dwarfism) ହୁଏ; ଅଧିକ ସ୍ରାବ ହେଲେ ଅତ୍ୟଧିକ ବୃଦ୍ଧି ଘଟି ଅତିକାୟତ୍ୱ (Gigantism) ହୁଏ। (ଗ) ଡେନ୍ଡ୍ରାଇଟ୍ ଓ ଆକ୍ସନ୍: ଡେନ୍ଡ୍ରାଇଟ୍ — ସେଲବଡିରୁ ବାହାରୁଥିବା ଛୋଟ ଶାଖା, ଆବେଗ ଗ୍ରହଣ କରେ। ଆକ୍ସନ୍ — ଏକ ଲମ୍ବା ତନ୍ତୁ, ଆବେଗକୁ ଆଗକୁ (ଅନ୍ୟ କୋଷକୁ) ପଠାଏ। (ଘ) ଡାଇବେଟିସ୍ ଇନ୍‌ସିପିଡସ୍ ଓ ମେଲିଟସ୍: ଡାଇବେଟିସ୍ ଇନ୍‌ସିପିଡସ୍ — ଭାସୋପ୍ରେସିନ୍ (ADH) କମ୍ ସ୍ରାବ ହେଲେ ଅତ୍ୟଧିକ ପରିସ୍ରା ହେବା (ବହୁମୂତ୍ର)। ଡାଇବେଟିସ୍ ମେଲିଟସ୍ (ମଧୁମେହ) — ଇନ୍‌ସୁଲିନ୍ ଅଭାବରେ ରକ୍ତରେ ଶର୍କରା ବଢ଼ିଯିବା। (ଙ) ଅକ୍ସିନ୍‌ର କାର୍ଯ୍ୟ: କୋଷ ବୃଦ୍ଧି ଓ କାଣ୍ଡ ବୃଦ୍ଧି, ଫୁଲ ଓ ଫଳ ଗଠନ, ଆଲୋକାନୁବର୍ତ୍ତନ ନିୟନ୍ତ୍ରଣ କରେ।
ଗୋଟିଏ ବାକ୍ୟରେ ଉତ୍ତର ଦିଅ (କ–ଙ)।
(କ) ଏସିଟିଲ୍‌କୋଲିନ୍‌ର କାର୍ଯ୍ୟ: ଏହା ଏକ ସ୍ନାୟବିକ ସଂଚାରକ, ଯାହା ସିନାପ୍ସ ଦେଇ ଏକ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଆବେଗ ପ୍ରସାରିତ କରେ। (ଖ) ଏଡ୍ରିନାଲ୍‌କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ କାହିଁକି: ଏଡ୍ରିନାଲିନ୍ ହରମୋନ୍ ଆକସ୍ମିକ ଆଘାତ, ଭୟ ଓ ଉତ୍ତେଜନା ସମୟରେ ସ୍ରାବ ହୋଇ ଶରୀରକୁ ଆପଦ ମୁକାବିଲା ପାଇଁ ପ୍ରସ୍ତୁତ କରେ, ତେଣୁ। (ଗ) ଇଷ୍ଟ୍ରୋଜେନ୍‌ର କାର୍ଯ୍ୟ: ଏହା ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣ ପ୍ରକାଶ କରାଏ। (ଘ) ଅଗ୍ନ୍ୟାଶୟକୁ ମିଶ୍ରିତ ଗ୍ରନ୍ଥି କୁହାଯାଏ କାହିଁକି: ଏହା ଏନ୍‌ଜାଇମ୍ (ବହିଃସ୍ରାବୀ) ଓ ହରମୋନ୍ (ଅନ୍ତଃସ୍ରାବୀ) ଉଭୟ ସ୍ରାବ କରୁଥିବାରୁ। (ଙ) ଲାଜକୁଳୀ ଲତାରେ କି ପ୍ରକାର ଗତି: ସ୍ପର୍ଶ କଲେ ପତ୍ର ବନ୍ଦ ହେବା ଭଳି ଅନ୍ତର୍କୁଞ୍ଚନ ଗତି (Nastic movement) ଦେଖାଯାଏ।
୧୦ଶୂନ୍ୟସ୍ଥାନ ପୂରଣ କର (କ–ଚ)।
(କ) ଉଭିଦର ଫଳ ଓ ଫୁଲ ଝଡ଼ିବା ସହ ବାର୍ଦ୍ଧକ୍ୟ ତ୍ୱରାନ୍ୱିତ ହେବା ଏଥ୍‌ଲିନ୍ ଓ ଆବ୍‌ସିସିକ୍ ଏସିଡ୍ ଦ୍ୱାରା ନିୟନ୍ତ୍ରିତ। (ଖ) ହରମୋନ୍ ଭୂଣକାଣ୍ଡର ଅଗ୍ରଭାଗ ରେ ତିଆରି ହୁଏ। (ଗ) ମସ୍ତିଷ୍କର ପ୍ରମସ୍ତିଷ୍କ ଭାଗ ଆମ ସ୍ମୃତି ପାଇଁ ଦାୟୀ। (ଘ) ଆମ ଶରୀରର ସନ୍ତୁଳନ ଓ ଭାରସାମ୍ୟ ମସ୍ତିଷ୍କର ଅନୁମସ୍ତିଷ୍କ ଭାଗ ନିୟନ୍ତ୍ରଣ କରେ। (ଙ) ମସ୍ତିଷ୍କ ଅଗୋଚରରେ ଶରୀରରେ ଘଟୁଥିବା ଅତି ଜରୁରୀ କାର୍ଯ୍ୟକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ। (ଚ) ସ୍ନାୟୁକୋଷରେ ସେଣ୍ଟ୍ରୋଜୋମ୍ ନଥିବାରୁ ଏହା ବିଭାଜିତ ହୋଇପାରେ ନାହିଁ।
୧୧ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛ (i–v)।
(i) ମଣିଷ ଶରୀରରେ କେତେ ଯୋଡ଼ା କ୍ରାନିଆଲ ସ୍ନାୟୁ ରହିଛି? → (ii) 12 (ii) ସୁଷୁମ୍ନାକାଣ୍ଡର ବାହ୍ୟ ଆବରଣକୁ କ'ଣ କୁହାଯାଏ? → (ii) ମେନିଞ୍ଜେସ୍ (iii) ଭାସୋପ୍ରେସିନ୍ ହରମୋନ୍‌ର ଅନ୍ୟ ନାମ କ'ଣ? → (ii) ଏ.ଡି.ଏଚ୍ (ADH) (iv) ନିମ୍ନୋକ୍ତ କେଉଁଟି ଫାଇଟୋହରମୋନ୍ ନୁହେଁ? → (iv) ଏସିଟିଲ୍‌କୋଲିନ୍ (ଏହା ସ୍ନାୟବିକ ସଂଚାରକ) (v) ଉଭିଦର ଚେରରେ କେଉଁ ପ୍ରକାର ଗତି ପରିଲକ୍ଷିତ ହୁଏ? → (ii) ଅନୁକୂଳ ଜ୍ୟାନୁବର୍ତ୍ତନ (Positive geotropism)
୧୨ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖି ଶୂନ୍ୟସ୍ଥାନ ପୂରଣ କର (୧–୫)।
୧. ବାମନତା : ଗ୍ରୋଥ୍ ହରମୋନ୍ :: ରୂପାନ୍ତରଣ : ଥାଇରକ୍ସିନ୍ ୨. ଡିମ୍ବାଶୟ : ଇଷ୍ଟ୍ରୋଜେନ୍ :: ଶୁକ୍ରାଶୟ : ଟେଷ୍ଟୋଷ୍ଟେରନ୍ ୩. ଫୁଲ ଝଡ଼ିବା : ଏଥ୍‌ଲିନ୍ :: ଫୁଲ ଧରିବା : ଫ୍ଲୋରିଜେନ୍ ୪. ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ :: ଯକୃତ୍ : ବହିଃସ୍ରାବୀ ୫. ଗର୍ଭାବସ୍ଥା ହରମୋନ୍ : ପ୍ରୋଜେଷ୍ଟେରନ୍ :: ଗର୍ଭସଂଚାର ନିର୍ଣ୍ଣୟ ହରମୋନ୍ : କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ (CGH)